Sai Ashram in Raghunathpur

ନୂଆ ନୀଡ଼ର ନୂଆ ସକାଳ : ‘ସାଇ ଆଶ୍ରମ’ର ଏକ ପ୍ରେରଣାଦାୟୀ କାହାଣୀ

​କାନ୍ଥ ଘଣ୍ଟାରେ ସକାଳ ୫ଟା ବାଜିଲା। ରଘୁନାଥପୁରସ୍ଥିତ ସାଇ ବୃଦ୍ଧ ଆଶ୍ରମର ସୁନ୍ଦର ବଗିଚାରେ ପକ୍ଷୀମାନଙ୍କ କାକଳି ଶୁଭିଲାଣି। ପୁଷ୍କରିଣୀର ସ୍ୱଚ୍ଛ ପାଣିରେ ସକାଳର କଅଁଳ କିରଣ ପ୍ରତିଫଳିତ ହେଉଛି। ରଙ୍ଗ ବେରଙ୍ଗ ଛୋଟ ବଡ଼ ମାଛ ମାନେ ପୁଷ୍କରଣୀ ପାହାଚ ତୁଠ ରେ ପାଣିର ଉପର ଭାଗରେ ମୁହଁ ବାହାର କରି ପାକୁ ପାକୁ ହୋଇ ତଳ ଉପର ଡେଇଁ ଖେଳୁଛନ୍ତି l
​ଆଶ୍ରମର ଗୋଟିଏ କୋଣରେ ବେଞ୍ଚ୍ ଉପରେ ଚୁପଚାପ୍ ବସିଥିଲେ ଜଗା ମଉସା । ଗତ ରାତିରୁ ନୂଆ କରି ଆସିଛନ୍ତି ଆଶ୍ରମକୁ, ଆଜି ଆଶ୍ରମରେ ତାଙ୍କର ପ୍ରଥମ ସକାଳ l ନିଜ ପୁଅ ବୋହୁ ଙ୍କ ସହିତ ଝଗଡା ହେବାରୁ ସୁଦୂର ଭଦ୍ରକ ରୁ ଭୁବନେଶ୍ୱର ରୁଷିକି ପଳାଇ ଆସିଛନ୍ତି l ବୟସର ଅପରାହ୍ନରେ ନିଜ ରକ୍ତର ଆତ୍ମୀୟମାନେ ଯେତେବେଳେ ତାଙ୍କୁ ପର କରିଦେଲେ, ତିରସ୍କାର କଲେ, ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ତାଙ୍କ ଆଖିରୁ ଲୁହ ଶୁଖୁନଥିଲା। ସେ ସବୁବେଳେ ଭାବୁଥିଲେ, “ଯେଉଁମାନଙ୍କ ପାଇଁ ଜୀବନ ସାରା ରକ୍ତକୁ ପାଣି କଲି, ସେମାନେ ମୋତେ ଘରୁ ବାହାର କରିଦେଲେ? ଏବେ ଏ ବୃଦ୍ଧ ସମସ୍ୟା ଭରା ଜୀବନର ମୂଲ୍ୟ କଣ?”

​ଠିକ୍ ଏତିକି ବେଳେ ତାଙ୍କ ପାଖକୁ ଆସି ହସହସ ମୁହଁରେ ଠିଆ ହେଲେ ଆଶ୍ରମର ଦୁଇ ସ୍ତମ୍ଭ ସଦୃଶ ଉପଦେଷ୍ଟା—ମାୟାଧର ନନ୍ଦ ସାର୍ ଏବଂ ଗୌର ପଟ୍ଟନାୟକ ସାର୍।
ଜଗା ମଉସା ଙ୍କ କାନ୍ଧରେ ହାତ ରଖି କହିଲେ, ନନ୍ଦ ସାର “ଜଗା ବାବୁ” ଚାଲନ୍ତୁ, ଆଜି ବଗିଚାରେ ଟିକେ ପ୍ରାତଃ ଭ୍ରମଣ କରିବା, ଆଉ ଆଶ୍ରାମର ସମସ୍ତ ଅନ୍ତେ ବାସୀଙ୍କ ସହ ପରିଚୟ ହେବା ସହିତ ସମସ୍ତଙ୍କ ସହ ମିଶି ଯୋଗ-ବ୍ୟାୟାମ କରିବା।”

Sai Ashram in Raghunathpur

​ଜଗା ମଉସା କାନ୍ଦ କାନ୍ଦ ସ୍ୱରରେ କହିଲେ, “ସାର୍, ମୋର ଆଉ କିଛି ଇଚ୍ଛା ନାହିଁ। ନିଜ ଘରୁ, ନିଜ ଆତ୍ମୀୟଙ୍କ ପାଖରୁ ଦୂରେଇ ଆସିଲା ପରେ ବାଟରେ ଦୁଇ ଦୁଇ ଥର ଆତ୍ମହତ୍ୟା କରିବାକୁ ମନ ବଳାଇ ଶେଷରେ ଆସି ସାଇ ଆଶ୍ରମରେ ବାବାଙ୍କ ପାଖରେ ଆଶ୍ରା ନେଇଛି l ଏମିତି ଲାଗୁଛି ସତେ ଯେମିତି ସବୁକିଛି ମୋର ସରିଗଲା।”
​ଏହା ଶୁଣି ଗୌର ସାର୍ ତାଙ୍କ ପାଖରେ ବସିଲେ ଏବଂ ବହୁତ ସୁନ୍ଦର କଥାଟିଏ କହିଲେ, ଯାହା ଜଗା ମଉସାଙ୍କ ଭିତରେ ଏକ ନୂଆ ପ୍ରେରଣା ଭରିଦେଲା। ମଉସାଙ୍କର ମୁହଁ ସତେଜ ଓ ଉଜ୍ୱଳ ଦିଶିଲା, ଗୌର ସାର୍ କହିଲେ
​ଜଗା ମଉସା , ଗଛରୁ ଶୁଖିଲା ପତ୍ରଟିଏ ଝଡ଼ିଗଲେ ଗଛ ମରିଯାଏନି, ବରଂ ଗଛରେ ନୂଆ ସବୁଜ ପତ୍ର କଁଅଳେ ଓ ଗଜୁରିବା ଆରମ୍ଭ ହୁଏ। ଜୀବନର କିଛି ପୃଷ୍ଠା ଓଲଟି ଗଲେ ବହି ବନ୍ଦ ହୋଇଯାଏନି। ଆପଣ ଭାବୁଛନ୍ତି ଆପଣ ଆତ୍ମୀୟଙ୍କୁ ଛାଡ଼ି ଆସିଛନ୍ତି? କିନ୍ତୁ ଥରେ ଆଶ୍ରମର ଚାରିଆଡ଼କୁ ଅନ୍ୟ ମାନଙ୍କୁ ଚାହାଁନ୍ତୁ!

​ଏହି ଯେଉଁ ବିଜୟ ମାର୍ଥା ବାବୁ ପ୍ରତିଦିନ ସକାଳୁ ଆପଣମାନଙ୍କର ସେବା କରୁଛନ୍ତି, ଦେହ ମୁଣ୍ଡ ହେଲେ ଡାକ୍ତର ଖାନା ଓ ଡାକ୍ତରଙ୍କୁ ଦେଖାଇବା ପାଇଁ ନେଉଛନ୍ତି ଏବଂ ବିଜୟ ପାତ୍ର, ବଡ଼ ବାବୁ ନିଜ ପରିବାର ଭଳି ଆପଣଙ୍କର ସମସ୍ତ ଖାଦ୍ୟ ଓ ସ୍ୱାସ୍ଥ୍ୟ ଖର୍ଚ୍ଚ ବହନ କରୁଛନ୍ତି—ଏମାନେ କଣ ଆପଣଙ୍କ ପୁଅଠାରୁ କମ୍? ଏଠାରେ ରହୁଥିବା ସବୁ ବାପା ମାଆ ଆପଣଙ୍କର ପରିବାର। ବୟସର ଏହି ଅପରାହ୍ନରେ ଆମକୁ ଅତୀତର ଦୁଃଖକୁ ଧରି ବସିବାକୁ ହେବ ନାହିଁ, ବରଂ ସହନଶୀଳତା ଓ ଏକତା ସହ ମିଳିମିଶି ହସଖୁସିରେ ବାକି ଜୀବନକୁ କାଟିବାକୁ ହେବ।
​ନନ୍ଦ ସାର୍ ମଧ୍ୟ କହିଲେ, ଆମେ ନିଜେ ସୁସ୍ଥ ରହିଲେ ହିଁ ସବୁ ସମସ୍ୟାର ସମାଧାନ ହେବ। ସକାଳୁ ଶୀଘ୍ର ଉଠିବା, ଯୋଗ କରିବା ଏବଂ ସାଇ ବାବାଙ୍କ ପାଖରେ ନିଜ ଦୁଃଖ ଜଣାଇ ପରସ୍ପର ସହ ଦୁଃଖ-ସୁଖ ବାଣ୍ଟିବା ହିଁ ଆମର ବଡ଼ ଔଷଧ। ଆପଣ ଏକୁଟିଆ ନାହାଁନ୍ତି, ସାରା ସାଇ ଆଶ୍ରମ ଆପଣଙ୍କ ସହ ଅଛି।”

​ଦୁଇଜଣଙ୍କର ଏହି ପ୍ରେରଣାଦାୟୀ ବାର୍ତ୍ତା ଜଗା ମଉସା ଙ୍କ ହୃଦୟକୁ ଛୁଇଁଗଲା। ସେ ବୁଝିଗଲେ ଯେ, ଲୁହ ଗଡ଼ାଇ ଜୀବନ ହାରିବା ଅପେକ୍ଷା, ଏହି ନୂଆ ସାଇ ଆଶ୍ରମ ପରିବାର ସହ ମିଶି ବାକି ଜୀବନ ହସି ହସି ଜିଇଁବା ହିଁ ପ୍ରକୃତ ସାର୍ଥକତା। ସେ ନିଜ ଆଖିରୁ ଲୁହ ପୋଛି ହସିଲେ ଏବଂ ଅନ୍ୟ ସବୁ ବାପା ମାଆମାନଙ୍କ ସହ ମିଶି ଆଶ୍ରମ ତଳ ବଗିଚାକୁ ପ୍ରାତଃ ଭ୍ରମଣ କରିବାକୁ ଆଗେଇ ଗଲେ। ବଗିଚାରୁ ସାଇ ବାବାଙ୍କ ପୂଜା ପାଇଁ ଢ଼େରେ ସାରା ଫୁଲ ତୋଳି ଆଣିଲେ l

​”ଘର ବଦଳିଲେ ଜୀବନ ବଦଳିଯାଏନି। ଆତ୍ମୀୟମାନେ ପର କରିଦେଇପାରନ୍ତି, କିନ୍ତୁ ଭଗବାନ କେଉଁଠି ନା କେଉଁଠି ଏକ ସୁନ୍ଦର ଆତ୍ମୀୟତାର ନୀଡ଼ ଗଢ଼ିଦିଅନ୍ତି। ରଘୁନାଥପୁରର ‘ସାଇ ଆଶ୍ରମ’ ହେଉଛି ସେହି ସ୍ନେହ ଆଉ ସେବାର ପବିତ୍ର ସ୍ଥାନ, ଯେଉଁଠି ବୟସର ଅପରାହ୍ନରେ ବି ଜୀବନ ହସିଉଠେ।”
ଓମ ସାଇ ରାମ 🙏

Leave a Comment

Your email address will not be published. Required fields are marked *